ଆଜିଠୁ ଆରମ୍ଭ କାର୍ତ୍ତି ମାସର ପୁଣ୍ୟ ପର୍ବ ପଞ୍ଚୁକ । ୫ ଦିନିଆ ପର୍ବ ପାଇଁ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର । ପଞ୍ଚୁକ ସମୟରେ ଦର୍ଶନରେ ଯେମିତି କୌଣସି ବିଶୃଙ୍ଖଳା ନହୁଏ, ସେଥିପାଇଁ ପଦକ୍ଷେପ ନିଆଯାଇଛି । ଦର୍ଶନ ପାଇଁ ଚାରିଧାଡିଆ ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା ମଧ୍ୟ ରହିଛି । ପଞ୍ଚୁକରେ ଅଧିକ ଭକ୍ତଙ୍କ ଭିଡ ହେବା ପୂର୍ବରୁ, ସିଂହଦ୍ୱାରରୁ ଶ୍ରୀନଅର ପର୍ଯ୍ୟନ୍ତ ଥିବା ବ୍ୟାରିକେଡକୁ, ଟାଉନ ଥାନା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।
ତେବେ ଚାରି ଥାକିଆ ବ୍ୟାରିକେଡରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏଥିସହ ପଞ୍ଚୁକ ଓ ପୂର୍ଣ୍ଣିମାରେ ନୀତି ସଅଳ ପାଇଁ ସେବାୟତଙ୍କୁ କହିଛି ପ୍ରଶାସନ । ୫ ଦିନରେ ଶ୍ରୀଜିଉଙ୍କ ୫ ବେଶ ହେବ । ପଂଚୁକର ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଥିବାବେଳେ, ଦ୍ୱାଦଶରେ ବାଙ୍କଚୁଡା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଇଥାନ୍ତି । କାର୍ତ୍ତି ପୂର୍ଣ୍ଣିମାରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି ।