Explore

Search

December 23, 2024 8:39 pm

tadantnews
LATEST NEWS
Lifestyle

ଆକାଶଛୁଆଁ ପିଆଜ ଦର

Facebook
Twitter
WhatsApp
Email

ଟମାଟୋ ପରେ ପିଆଜର ଅହେତୁକ ଦର ବୃଦ୍ଧି ଯୋଗୁଁ ଖାଉଟି ଏବେ ଚିନ୍ତାରେ । ଗତ ଗୋଟିଏ ସପ୍ତାହରେ ପିଆଜର ଖୁଚୁରା ଦର କିଲୋ ପିଛା ୧୦ ଟଙ୍କା ବଢ଼ିଗଲାଣି । ଏମିତିକି ପିଆଜ କିଲୋ ପିଛା ଦର ପ୍ରାୟ ୪୫ ଟଙ୍କା ଛୁଇଁଛି । ଚଳିତ ବର୍ଷ ବନ୍ୟା ଜନିତ ପରିବା ନଷ୍ଟ ହେବା ଯୋଗୁ ଟମାଟୋ ସହ ଅନ୍ୟ ପରିବା ଦର ଆକାଶଛୁଆଁ ହୋଇଥିଲା ।

କେବଳ ଆଳୁ ଏବଂ ପିଆଜ ଦର କିଲୋ ପିଛା ୩୦ ଟଙ୍କା ତଳେ ଥିଲା । ଏବେ ଟମାଟୋ ସହ ପରିବା ଦର ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରୁଥିବା ବେଳେ ପିଆଜ ଦର ବୃଦ୍ଧି ପୁଣି ଚିନ୍ତା ବଢ଼ାଇଛି । ପିଆଜ ପାଇଁ ରାଜ୍ୟ ମଧ୍ୟପ୍ରଦେଶ, ବାଙ୍ଗାଲୋର, ମହାରାଷ୍ଟ୍ରର ନାସିକ, ଆନ୍ଧ୍ରପ୍ରଦେଶର କର୍ଣ୍ଣଲ, ଟାଡାପଲିଗୁଡମ ଭଳି ସ୍ଥାନଗୁଡିକ ଉପରେ ନିର୍ଭର କରିଥାଏ । ସେହିଭଳି ରାଜ୍ୟର ବଲାଙ୍ଗୀର, ଟିଟଲାଗଡ଼, ଭଞ୍ଜନଗର, ଅନୁଗୁଳ ଏବଂ କେନ୍ଦୁଝର ଭଳି ସ୍ଥାନଗୁଡ଼ିକରୁ ପିଆଜ ସ୍ଥାନୀୟ ଚାହିଦା ମେଣ୍ଟାଇଥାଏ । ତେବେ ବର୍ଷର କିଛି ମାସ ଛାଡିଦେଲେ ପିଆଜ ପାଇଁ ଅଧିକାଂଶ ସମୟ ବାହାର ଉପରେ ନିର୍ଭର କରିବାକୁ ପଡୁଛି । ଉଦ୍ୟାନ କୃଷି ବିଭାଗ ପିଆଜ ଆତ୍ମନିର୍ଭରତା ଦିଗରେ କାର୍ୟ୍ୟକ୍ରମ ଗ୍ରହଣ କରୁନ ଥିବାରୁ ବଜାରରେ ସାମାନ୍ୟ ସ୍ଥିତି ବିଗିଡିଲେ ଖାଉଟିଙ୍କୁ ଏହାର ଚାପ ସହିବାକୁ ପଡୁଛି ବୋଲି କହିଛନ୍ତି ବଜାର ବିଶେଷଜ୍ଞ ।

ରାଜ୍ୟ ମଧ୍ୟରେ ଯାହା କିଛି ବି ଅମଳ ହେଉଛି ଶୀତଳ ଭଣ୍ଡାର ଅଭାବ ଯୋଗୁ ଏହାକୁ ସଂରକ୍ଷିତ କରି ରଖିବାକୁ ଚାଷୀ ସକ୍ଷମ ହେଉନି । ଫଳରେ ଅମଳ ସମୟରେ ଅଭାବୀ ବିକ୍ରି ସମସ୍ୟା ଦେଖାଯାଉଛି । ପିଆଜ ଚାଷକୁ ପ୍ରୋତ୍ସାହନ ଅଭାବ ଯୋଗୁ ଚାଷୀ ଏହି ଚାଷ ପ୍ରତି ମୁହଁ ଫେରାଉଛନ୍ତି । ଯେଉଁ ପିଆଜକୁ ୧୦ ଟଙ୍କାରୁ କମ୍‌ ଦରରେ ବିକ୍ରି କରୁଛି ତାକୁ ନିଜେ ବ୍ୟବହାର କରିବା ବେଳେ ୪୫ ଟଙ୍କା ଦେଇ ଚାଷୀ କିଣୁଥିବା ଦେଖାଯାଉଛି । ରାଜ୍ୟର ପ୍ରମୁଖ ପରିବା ବଜାର ଛତ୍ରବଜାର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏବେ ଭଲ ପିଆଜ ଉପଲବ୍ଧ ହେଉନି । ଯାହା କିଛି ପିଆଜ ଉପଲବ୍ଧ ହେଉଛି ତାର ଦର ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି । ଭଲ ପିଆଜ ଆସିବାକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ନୂଆ ଅମଳ ପରେ ଯାଇ ପିଆଜ ଉପଲବ୍ଧ ହେବ । ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ବର୍ଷା ଯୋଗୁ ପିଆଜ ନଷ୍ଟ ହୋଇଛି । ଚାଷ ମଧ୍ୟ ବିଳମ୍ବ ହୋଇଛି । ନାସିକରୁ ଆସୁଥିବା ପିଆଜ ବର୍ଷା ମାଡ଼ ଖାଇ ନଷ୍ଟ ହୋଇଛି । ବର୍ତ୍ତମାନ ଯେଉଁ ଦର ରହିଛି ତାହା ଏବେ ଚାଲିବ । ଆନ୍ଧ୍ରପ୍ରଦେଶରୁ ପିଆଜ ଆସିବାକୁ ବିଳମ୍ବ ହୋଇଛି ।

ଅଗଷ୍ଟରେ ନୂଆ ପିଆଜ ବାହାରିବା କଥା, ମାତ୍ର ଅସ୍ୱାଭାବିକ ବର୍ଷା ଯୋଗୁ ଦକ୍ଷିଣ ଭାଗରେ ଉତ୍ପାଦନ ପ୍ରଭାବିତ ହୋଇଛି । ଗଣେଷ ପୂଜା ବେଳକୁ ନୂଆ ପିଆଜ ଆସିଲେ ବଜାରର ଅଭାବ ମେଣ୍ଟାଇବ । ଏଥିପାଇଁ ଖାଉଟିଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।

Tadant News
Author: Tadant News

Leave a Comment