ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବେ ଚର୍ଚ୍ଚାରେ । ତାଙ୍କ ଅଭିନୀତ ‘ଜେଲର’ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ଆୟ କରିବାରେ ସଫଳ ହୋଇଛି । ଦର୍ଶକଙ୍କ ଗହଣରେ ଏବେ କେବଳ ‘ଜେଲର’ ଚର୍ଚ୍ଚା । ଦୀର୍ଘ ଦୁଇ ବର୍ଷ ପରେ ବଡ଼ ସ୍କ୍ରିନ୍ରେ ରିଲିଜ ହୋଇଛି ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ।
ଜେଲରର ସଫଳତା ପରେ ନିଜ ପତ୍ନୀ ଲତା ରଜନୀକାନ୍ତଙ୍କ ସହ ଚାରଧାମ ଯାତ୍ରା କରିଛନ୍ତି ରଜନୀକାନ୍ତ । ପରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରଜନୀକାନ୍ତ ଭେଟିଛନ୍ତି ।
ବଦ୍ରିନାଥଙ୍କ ଦର୍ଶନ ପରେ ରଜନୀକାନ୍ତ ସିଧାସଳଖ ଲଷ୍ନୌରେ ପହଞ୍ଚିଥିଲେ । ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସେ ସାକ୍ଷାତ କରିଥିଲେ । ଏହି ଅବସରରେ ‘ଜେଲର’ର ସ୍ପେଶାଲ୍ ସ୍କ୍ରିନିଂ ବି ରଖାଯାଇଥିଲା। ତାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିବାକୁ ତାଙ୍କ ବାସଭବନରେ ପହଞ୍ଚିଥିଲେ ରଜନୀକାନ୍ତ । ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଭିଡିଓରେ ରଜନୀକାନ୍ତ ଗାଡ଼ିରୁ ଓହ୍ଲାଇ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଛି । ସେପଟେ ଯୋଗୀ ଆଦିତ୍ୟନାଥ ଫୁଲତୋଡା ଦେଇ ରଜନୀକାନ୍ତଙ୍କୁ ସ୍ବାଗତ କରିଥିଲେ । ପରେ ରଜନୀକାନ୍ତ, ଲତା ରଜନୀକାନ୍ତ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଘରେ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରେ କିଛି ସମୟ ବାର୍ତ୍ତାଳାପ ହୋଇଥିଲା । ରଜନୀକାନ୍ତଙ୍କୁ ଯୋଗୀ କିଛି ଉପହାର ଦେଇଥିଲେ । ଏହା ପରେ ରଜନୀକାନ୍ତ ତାଙ୍କ ପତ୍ନୀଙ୍କ ସହ ହୋଟେଲ ଅଭିମୁଖେ ଯାତ୍ରା କରିଥିଲେ । ତେବେ ରଜନୀକାନ୍ତ ଅଭିନୀତ ‘ଜେଲ୍ର’ ଚଳଚ୍ଚିତ୍ର ରିଲିଜ୍ ହେବାର ପ୍ରଥମ ସପ୍ତାହରେ ୨୩୫.୮୫ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା । ବିଶ୍ବସ୍ତରରେ ୪୨୬.୭ କୋଟି ଟଙ୍କା ଆୟ କରିସାରିଛି ଜେଲର ।