ବଜାରକୁ ଆସିଲା ପ୍ରଥମ ବ୍ୟାଟେରୀ ଚାଳିତ ପାୱାର ଟିଲର : କମିବ ଚାଷଜନିତ ଖର୍ଚ୍ଚ, ଉପକୃତ ହେବେ ଚାଷୀ
ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ଆଉ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦର ପାଇଁ ଚାଷୀଙ୍କୁ ଚିନ୍ତା କରିବାକୁ ପଡ଼ିବନି। ବଜାରକୁ ଆସିଯାଇଛି ଦେଶର ପ୍ରଥମ ବ୍ୟାଟେରୀ ଚାଳିତ ପାୱାର ଟିଲର। ପେଟ୍ରୋଲ ଓ ଡିଜେଲ ଚାଳିତ ପାୱାର ଟିଲରରେ ଚାଷୀଙ୍କର ଘଣ୍ଟାକୁ ୧୫୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହି ବ୍ୟାଟେରୀ ଚାଳିତ ପାୱାର ଟିଲରରେ ଖର୍ଚ୍ଚ ହେବ ମାତ୍ର ୭ ଟଙ୍କା। ଉତ୍ତରପ୍ରଦେଶ ଗାଜିଆବାଦର ସୁକୁନ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି କ୍ରିଷିରାଜ ଜେନ୩ ବ୍ୟାଟେରୀ ଚାଳିତ ପାୱାର ଟିଲର ବିକଶିତ କରାଯାଇଛି। ଓଡ଼ିଶାରେ ଜୟ କିଷାନ ଆଗ୍ରି ସଲ୍ୟୁସନ୍ସ ଏହାର ବିତରକ ରହିଛି। ମଙ୍ଗଳବାର ଭୁବନେଶ୍ବରରେ ଏହି ବ୍ୟାଟେରୀ ଚାଳିତ ପାୱାର ଟିଲରର ଶୁଭାରମ୍ଭ କରାଯାଇଛି।
ଆୟୋଜିତ କାର୍ଯ୍ୟକ୍ରମରେ ସୁକୁନ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡର ନିର୍ଦେଶକ ସୋମ ମୁଞ୍ଜଲ ଓ ଅଭିଶ୍ରୁତ ତ୍ୟାଗୀ, ଆଞ୍ଚଳିକ ପରିଚାଳକ (ଆର. ଏମ) ପ୍ରଦୀପ ମିଶ୍ର, ଜୟ କିଷାନ ଆଗ୍ରି ସଲ୍ୟୁସନ୍ସ ସିଇଓ କଳ୍ପତରୁ ସାହୁ, କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ କୁମାର ତ୍ରିପାଠୀ ଏବଂ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଉପସ୍ଥିତ ରହି ଭାରତର ଏହି ପ୍ରଥମ ବ୍ୟାଟେରୀ ଚାଳିତ ପାୱାର ଟିଲର ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ସୂଚନା ଅନୁସାରେ, ଏହି ପାୱାର ଟିଲରର ବ୍ୟାଟେରୀ ୨ରୁ ୩ ଘଣ୍ଟା ମଧ୍ୟରେ ପୂର୍ଣ୍ଣ ଚାର୍ଜ ହୋଇଥାଏ। ଥରେ ଚାର୍ଜ କଲେ ଏହା ୫ରୁ ୬ ଘଣ୍ଟା ଚାଲେ। ମଟାଳ ଜମିକୁ ଉର୍ବର କ୍ଷେତରେ ରୂପାନ୍ତରିତ କରିବାରେ ଏହା ସହାୟକ ହେବ। ଏହାର ଆଉଏକ ବିଶେଷତ୍ଵ ହେଲା, ଏଥିରେ ବିଭିନ୍ନ ପ୍ରକାର ଉପକରଣ ଲାଗିପାରିବ। ଯେପରି ରୋଟାଭେଟର, ସ୍ପ୍ରେୟର, ପମ୍ପସେଟ୍, ଟ୍ରଲି, କଲ୍ଟିଭେଟର, ରେଜର ଆଦି କୃଷି ଉପକରଣ ସଂଯୋଗ କରାଯାଇପାରିବ। ଯାହାଫଳରେ ଅନ୍ୟ କୃଷି ଉପକରଣ ପାଇଁ ଚାଷୀଙ୍କ ଚିନ୍ତା ଦୂର ହେବ। ଏହି ପାୱାର ଟିଲରର ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁତ୍ କମ୍। ଏହାସହ ବ୍ୟାଟେରୀ ଉପରେ କମ୍ପାନୀ ୫ ବର୍ଷର ୱାରେଣ୍ଟି ପ୍ରଦାନ କରୁଛି। କେବଳ ଏତିକି ନୁହେଁ ଏହାକୁ କ୍ରୟ କଲେ ଚାଷୀଙ୍କ ପାଇଁ ସରକାରୀ ରିଆତି ସୁବିଧା ମଧ୍ୟ ରହିଛି।